ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ମୁକାବିଲା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମନ୍ୱୟ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ତଦାରଖ ଓ ଉଦ୍ଧାର କାର୍ଯ୍ୟର ସମନ୍ୱୟ ପାଇଁ ବରିଷ୍ଠ IAS ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।
ରାଜ୍ୟସ୍ତରରେ ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ରେ ମଧ୍ୟ ବରିଷ୍ଠ IAS ଅଧିକାରୀଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି। ବାତ୍ୟାର ଗତିପଥ, ପବନର ବେଗ, ବର୍ଷାର ପରିମାଣ, ଲୋକଙ୍କ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି, ଉଦ୍ଧାରକାରୀ ଦଳ ଏବଂ ରିଲିଫ୍ ବ୍ୟବସ୍ଥା ଉପରେ ସରକାର ନିରନ୍ତର ନଜର ରଖିଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଆଲର୍ଟରେ ରଖାଯାଇଛି। ବାତ୍ୟାର ପ୍ରଭାବ ମୁକାବିଲା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିମାନ ଚଳାଚଳ ସ୍ୱାଭାବିକ ରହିଛି। କୌଣସି ବିମାନ ବାତିଲ ହୋଇନଥିବା ସୂଚନା ମିଳିଛି।
ଅନ୍ୟପଟେ ବାତ୍ୟାର ପ୍ରଭାବ ରେଳ ଯାତ୍ରୀଙ୍କ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୨୦ ତାରିଖରେ ଚଳାଚଳ କରିବାକୁ ଥିବା କିଛି ଟ୍ରେନ୍ର ସମୟ ପରିବର୍ତ୍ତନ କରିଛି ରେଳ ବିଭାଗ। ଏହି ଟ୍ରେନ୍ଗୁଡ଼ିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିବ।
ରେଳ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୨୦ ତାରିଖରେ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ୫ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚଳାଚଳ କରିବ। ସେହିପରି ପଲାସା-କଟକ ମେମୁ ୫ ଘଣ୍ଟା, ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ୩ ଘଣ୍ଟା ୩୦ ମିନିଟ୍, ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ୩ ଘଣ୍ଟା ୩୦ ମିନିଟ୍ ଏବଂ ଗୁଣୁପୁର-କଟକ ମେମୁ ୩ ଘଣ୍ଟା ୩୦ ମିନିଟ୍ ବିଳମ୍ବରେ ଚାଲିବ।
ଏହାବ୍ୟତୀତ ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ୨ ଘଣ୍ଟା ଏବଂ ଶାଲିମାର-ଚର୍ଲାପଲ୍ଲୀ ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ଚଳାଚଳ କରିବ।
ବାତ୍ୟାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ରେଳ ଚଳାଚଳ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ତେଣୁ ନଭେମ୍ବର ୨୦ ତାରିଖରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଷ୍ଟେସନ୍କୁ ବାହାରିବା ପୂର୍ବରୁ ନିଜ ଟ୍ରେନ୍ର ସଦ୍ୟତମ ସମୟସୂଚୀ ଯାଞ୍ଚ କରିନେବାକୁ ପରାମର୍ଶ ଦିଆଯାଇଛି।